ମାର୍ଚ୍ଚ ସୁଦ୍ଧା ହେବ 4G ସ୍ପେକ୍ଟ୍ରମ୍ ଆବଣ୍ଟନ
କଟକ: ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଫୋର୍-ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ହେବ ବୋଲି କେନ୍ଦ୍ର ଯୋଗାଯୋଗ ଓ ଆଇ.ଟି. ମନ୍ତ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। କଟକ ନରାଜ ସ୍ଥିତ ମୁଣ୍ଡୁଳିଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ ଅବସରରେ ସେ କହିଛନ୍ତି, ଦେଶର କେତେକ ଅଞ୍ଚଳରେ ଚଳିତ ବର୍ଷ ଏପ୍ରିଲ୍ କିମ୍ବା ମେ ମାସ ସୁଦ୍ଧା ବିଏସ୍ଏନ୍ଏଲ୍ର ଫୋର୍-ଜି ସେବା ଉପଲବ୍ଧ ହେବ। ଆୟୋଜିତ ସଭାରେ ସେ କହିଛନ୍ତି, ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ ସହ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଇଥାଏ।
କେନ୍ଦ୍ରର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ତ୍ରୀ ଧୋତ୍ରେ କହିଛନ୍ତି। ଖେଲୋ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ଯୋଜନା ଛାତ୍ରଛାତ୍ରୀମାନଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ସମାଜ ଉପରେ ସୁପ୍ରଭାବ ପକାଇ ପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି।