ଏ ଲେଖାଟି ପ୍ରଥମେ ୨୦୧୧ ମସିହା ମେ ମାସ “ସିଭିଲ ସର୍ଭିସ ପଥି” ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏଠାରେ ଆଉଥରେ ସଭିଙ୍କ ଗୋଚର ନିମନ୍ତେ ଦିଆଗଲା । ପରେ ପ୍ରଥମ ସମ୍ପାଦନା ସହ “ରସଗୋଲା ଦିବସ ୨୦୧୫” ଦିନ ସମାଜରେ ସମ୍ପାଦକୀୟ ଭାବେ ପ୍ରକାଶିତ ହୋଇଥିଲା ।
ଅନେକେ ହୁଏତ ପାଶୋରି ପକାଇଥିବେ, କାଳର କରାଳ ଗତିରେ ଆମ ଇତିହାସର ଅନେକ ଫରଦ ଗଢ଼ାଗଲା ସେହି ମାନଙ୍କ ହାତରେ, ଯେଉଁମାନେ କ୍ଷମତାର ଜଗତି ଉପରେ ବସିଥିଲେ । ଓଡ଼ିଶାର ଇତିହାସରେ ମୂଳ କଳିଙ୍ଗ ବାସିନ୍ଦାଙ୍କ ଭିତରେ ଆର୍ଯ୍ୟମାନଙ୍କ ମିଶ୍ରଣ, ଜାତି ପ୍ରଥାର ଜନ୍ମ, ମୂଳ ଧର୍ମ ବୌଦ୍ଧ ଧର୍ମର ବିଲୋପ-ବ୍ରାହ୍ମଣବାଦର ଅଭୂଦୟ, ହିନ୍ଦୁ ଧର୍ମ ସହ ବୌଦ୍ଧ ଓ ଜୈନ ଧର୍ମଧାରଣାର ଦର୍ଶନର କୋଳାକୋଳି ଭିତରେ ପୁରାତନ ମୂଳ ପାଳି ଭାଷା ଉପରେ ସଂସ୍କୃତର ଅଗ୍ରାଧିକାର ଏ ସବୁ ଥିଲା ଅତୀତର କଥା । ତାହା ପରେ ପରେ କେତେ ଶହ ବର୍ଷ ଧରି ନାନାଦି ମତବାଦ ଓ ଗୁରୁଙ୍କର ଓଡ଼ିଶାରେ ଅବତରଣ ତଥା ମୂଳ ବୌଦ୍ଧ ସ୍ତୂପ ଓ ଉପାସନାସ୍ଥଳର ହିନ୍ଦୁ ଦେବଦେବୀ ପୀଠରେ ରୂପାନ୍ତରଣକୁ ସଜଳ ଆଖିରେ ଦେଖିଛି କଳିଙ୍ଗ ଜନନୀ । ଏହି ଭୂମିରୁ ଜନ୍ମିଥିବା ଧର୍ମ ଓ ଭାଷାର ସତ୍ତା ହିଁ ରହିଲା ନାହିଁ ଏଠାରେ । ବ୍ରାହ୍ମଣଙ୍କ ଆକ୍ରମଣରେ ନୁଜ ଭୁଇଁ ଛାଡ଼ି ନେପାଳ ଓ ସିଂହଳ ପଳାଇଥିବା ବୌଦ୍ଧଭିକ୍ଷୁମାନଙ୍କ ସେଠାକାର ଜନଜାତି ସହ ସମ୍ମିଶ୍ରଣରୁ କଳିଙ୍ଗର ଭାଷା ପାଳି ଭାଷା ଯେଉଁ ନୂଆ ରୂପ ନେଲା ସେଥିରେ ଓଡ଼ିଶା ସହ ସମ୍ବନ୍ଧ ବାଦ ପଡ଼ିଲା । ନେପାଳକୁ ବୁଦ୍ଧଙ୍କ ଜନ୍ମଭୂମି ବୋଲି ପ୍ରମାଣ କରାଗଲା ଓ ତିମିରତଳେ ରହିଗଲା ମୂଳ ଭୂଇଁ ଓଡ଼ିଶା । ପାଳି ଭାଷା, ଯାହା ଓଡ଼ିଆ ସମେତ ଅନେକ ଆଧୁନିକ ଭାରତୀୟ ଭାଷାର ମୂଳ ପିଣ୍ଡ ଥିଲା, ଓ ମୂଳତ ଓଡ଼ିଶାରୁ ଜନମି ଥିଲା ସେ ସଂସ୍କୃତର ଅନୁଗତ ହୋଇ ଏ ଭୁଇଁରେ ମରଣମୁଖୀ ହୋଇ ପଡ଼ିରହିଲା । ଓଡ଼ିଶା ଇତିହାସ ଥରକୁ ଥର ପଦଦଳିତ ହୋଇଛି ନାନାଦି ଲୁଣ୍ଠନକାରୀଙ୍କ ଦେଇ । ଅନେକ ବିଶାଳକାୟ ସୂକ୍ଷ୍ମ କରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଲୁଣ୍ଠିତ ହୋଇଛି, ମୂର୍ତ୍ତିମାନଙ୍କର ନାକ, ମୁହଁ ବ୍ବିବର୍ଣ୍ଣ ହୋଇଛି । ଯଦିଓ ମୋଗଲ, ମରହଟାଙ୍କ କାଳରେ ଓଡ଼ିଶାର ପାଣିପବନରେ କେଇ ବୁନ୍ଦା ଧର୍ମଧାରଣା, ଜୀବନଯାପନ ଓ ଚଳଣିରେ ପରିବର୍ତନ ଘଟିଛି କିନ୍ତୁ ଓଡ଼ିଆଙ୍କ ଓଡ଼ିଆପଣ ବଜାୟ ରହିଛି । କିନ୍ତୁ ଅତୀତରୁ ଏଯାବତ ଯାହା ତିଳ ତିଳ ହୋଇ ଲୁଟାଯାଇଛି ଆମ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାହା ହେଉଛି ଆମର ମୌଳିକତା । ଓଡ଼ିଆଙ୍କ ଭାଷା, ଚଳଣି, ପରମ୍ପରା ଏସବୁ ଯାହା ଆଗରୁ ଦୂରରୁ ବାରି ହୋଇପଡୁଥିଲା ନିଆରା ନିଆରା ହୋଇ, ଯାହା କାଳେ କାଳେ ମୂଳଧାରାରୁ ଅନେକ ଦୂରକୁ ଚାଲି ଆସିଛି ଯାହା ଇତିହାସର ଅନ୍ଧାରି ଘର ଭିତରେ ବନ୍ଦୀ ଆଉ ଏକ ଦୁଖଦ ଇତିହାସ । ଏହି ନିଆରାପଣ ଖୋଦ ଓଡ଼ିଆଙ୍କ ଦେଇ ବି ଏବେ ଆଉ ଆଗପରି ନିଆରା ବୋଲି ପ୍ରତୀତ ହେଉନାହିଁ । ଓଡ଼ିଆ ଜାତିର କେଇ ଦଶନ୍ଧି ଭିତରେ ଓଡ଼ିଶାର ଅନ୍ତରରୁ ଯାହା ସବୁକୁ ନେଇ ଓଡ଼ିଶାର ପାଖ ପ୍ରଦେଶମାନେ ଆପଣା ବୋଲି ଦାବି କରି ବସନ୍ତି ସେ ଭିତରେ ଆସନ୍ତି ମହାମତି ବୁଦ୍ଧ, ପାଳି ଭାଷା, ମହାକବି ଜୟଦେବ, ପଞ୍ଚତନ୍ତ୍ରର ରଚକ ବିଷ୍ଣୁ ଶର୍ମା, ଓଡ଼ିଶାର ପୁରାତନ ବାଲେଶ୍ଵରୀ ବନ୍ଧ (ଯାହା ଆଜିର ଢାକାଇ ବନ୍ଧରେ ପରିଣତ ହୋଇଛି), ଛଉ ନାଟ ଆଉ ରସଗୋଲା ସମେତ ଅନେକ ଅନେକ ଓଡ଼ିଆ ଖାଦ୍ୟ ଯାହା ଜଗତ ଦରବାରରେ ଆଉ ଓଡ଼ିଶାର ବୋଲି ପରିଚିତ ହୋଇ ନାହିଁ ବା ଜଗତ ଦରବାରରେ ଆରମ୍ଭରୁ ଅନ୍ୟ ରାଜ୍ୟ ନାମରେ ହିଁ ପରିଚିତ ହୋଇ ଆସିଛି ।
ଇତିହାସ:
ଇତିହାସ କଥା ପଡ଼ିଲେ ଗୋଟିଏ କଥା ଆପେଆପେ ଦିଶିଯାଏ, ଇତିହାସ ସଦା ଅନ୍ୟ ଉପରେ ନିଜର ପ୍ରଭୁପଣିଆ ଜାହିର କରିପାରୁଥିବା ଲୋକଙ୍କ ଦେଇ ଲେଖାଯାଇଥାଏ । ତେଣୁ ପ୍ରଜାପାଳକ ଖାରବେଳଙ୍କ ଠାରୁ ପ୍ରଜାପୀଡ଼କ ଅଶୋକଙ୍କ ବାବଦରେ ଅନେକ ଅନୁଶାସନ ଛିଡ଼ାହୋଇଛି । ଠିକ ସେହିପରି ରସଗୋଲାର ଇତିହାସ ନାନା ମୋଡ଼ ଦେଇ ପହଞ୍ଚିଛି ଜିଜ୍ଞାସୁ ନିକଟରେ । ମହାନାଥ ଜଗନ୍ନାଥ ସାଆନ୍ତାଣିଙ୍କ ମାନଭଞ୍ଜନ ନିମନ୍ତେ ରଥଯାତ କାଳରେ ରସଗୋଲା ଭାର ପଠାଇବାର ବିଧି ରହିଛି । ରସଗୋଲା ଜଗନ୍ନାଥଙ୍କ ଦନ୍ତପୁର ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଜନମିଥିବାର ଜଣାଯାଏ । ନଥିକରଣର ଅଭାବ ହେତୁ ସଠିକ ମସିହା ଲିପିବଦ୍ଧ ହୋଇ ପାରିନାହିଁ । ତେବେ ପୁରୀରୁ ଏହା କଟକର ସାଲେପୁର ଓ ଭୁବନେଶ୍ଵରର ପାହାଳ ଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଛି । ଓଡ଼ିଶାର ଇଷତ-ନାଲି ରସଗୋଲା ଭିତରେ ଛେନାଗୋଲାସବୁ ରାସେଣି (ସିରା) ଭିତରେ ଅଧିକ କାଳ ଫୁଟାହେବାର କଥା ଲୁଚି ରହିଛି । ମାଟି ଚୁଲି ଉପରେ ବସିଥିବା ହାଣ୍ଡିରେ ଫୁଟନ୍ତା ରାସେଣିରୁ ଫେଣ ଆଡ଼େଇ ଛେନାଗୋଲାସବୁକୁ ଛଡ଼ାଯାଇଥାଏ । ତାପ ଓ ଧୂଆଁଧାପରେ ସିଝି ସେସବୁ ଇଷତ ନାଲି ରଙ୍ଗ ଧାରଣ କରେ । ଅମିଶା ଏହି ଛେନା ପ୍ରାକୃତିକ ଭାବେ ଫୁଟିଲା ପରେ ନାଲି ରଙ୍ଗର ହୋଇଥାଏ (ଯେମିତି କ୍ଷୀର ରାବେଡ଼ା) । ଆଗରୁ ବହୁ ଓଡ଼ିଆ ରାନ୍ଧୁଣିଆମା ବଙ୍ଗାଳିବାଡ଼ିରେ କାମ କରୁଥିଲେ । କେତେକେ ଚିରକାଳ ସେଠାରେ ରହିଗଲେ ଆଉ ଓଡ଼ିଆ ରାନ୍ଧଣାର ଛାପ ଛାଡ଼ିଆସିଲେ ବଙ୍ଗାଳିବାଡ଼ିରେ ଯାହା ଆଜିର ବଙ୍ଗାଳି ନାମରେ ଜନମନରେ ଜଣା । ଓଡ଼ିଆ ବେସରବଟା, ରାଇତା, ମିଠାଦହି, ଖିରି, ପିଠାସମୂହ ଓ ରସଗୋଳା ଭେକ ବଦଳାଇ ବା ଅବିକଳ ସେହିପରି ଆଜି ବଙ୍ଗାଳି ରାନ୍ଧଣା ନାମରେ ନାମ କମାଇଛି । କାରଣ ଥିଲା ବଙ୍ଗାଳି ନବଜାଗରଣ କାଳରେ ଯେଉଁ କେତେଜଣ ଶିକ୍ଷିତ ବିତ୍ତଶାଳି ବଙ୍ଗାଳି ସମଗ୍ର ଜାତିର ନେତୃତ୍ଵ ନେଇଥିଲେ ସେମାନେ ଓଡ଼ିଆ ଚଳଣିର ପ୍ରଭାବକୁ ମାନିବାକୁ ପ୍ରସ୍ତୁତ ନ ଥିଲେ । ତେଣୁ ଆତ୍ମପରିଚିତିକୁ ନେଇ ଦ୍ଵନ୍ଦରେ ପଡ଼ିଥିବା ଓଡ଼ିଆଜାତି ସେତେବେଳେ ନୂତନ ନେତୃତ୍ଵର ସନ୍ଧାନରେ ଥିଲା ଯାହାର ସୁଯୋଗ ନେଇ ସେତେବେଳର ବଙ୍ଗାଳିଏ ଓଡ଼ିଆ ରାନ୍ଧଣା ସବୁ ବଙ୍ଗାଳି ରାନ୍ଧଣା ନାମରେ ଚିହ୍ନିତ କଲେ । ୧୮୬୮ରେ ଓଡ଼ିଆ ନାଲି ରସଗୋଲା ବଙ୍ଗଳାର ନବୀନ ଦାସଙ୍କ ଦେଇ ଜଟିଳ ପଦ୍ଧତିରେ ଗଢ଼ା ରସଗୋଲା ସରଳ ହୋଇଥିଲା, ଏଥିରେ କେବଳ ଛେନା ବଦଳରେ ସୁଜି ମିଶାଇ ତାହା ଧଳା ଧଳା କରି ଗଢ଼ାଗଲା । ପରେ ତାହାଙ୍କ ପୁଅ କେ.ସି. ଦାସଙ୍କ ଦେଇ ଏହା ଜଗତବ୍ୟାପୀ ପ୍ରସାରଲାଭ କଲା । ତେଣୁ କେବଳ ଓଡ଼ିଶା ବ୍ୟତିରେକ ଅନ୍ୟ କେଉଁଠି ଏହି ନିଆରା ନାଲି ରସଗୋଲା ଦେଖିବାକୁ ମିଳେନାହିଁ । ଓଡ଼ିଶାର କଟକ ଜିଲାର ସାଲେପୁର ସେହି ମାଟିର ସୁପୁତ୍ର ବିକଳାନନ୍ଦ କରଙ୍କ (ଜନମନରେ ବିକଳି କର ନାମରେ ଜଣା) ଦେଇ ସାରା ଓଡ଼ିଶାରେ ନାମ କମାଇଛି । ସାଲେପୁର ସହ ପରେ ଆଉ ଏକ ଗାଁର ନାମ ଶୁଣିବାକୁ ମିଳେ, ପାହାଳ । ଭୁବନେଶ୍ଵରରୁ କଟକ ଯିବା ରାସ୍ତାରେ ଏହି ରସଗୋଲାର ଗାଁ ଦେଖିବାକୁ ମିଳେ । ଧାଡ଼ିକି ଧାଡ଼ି ମିଠାଦୋକାନ, ନାନାଦି ଆକାର ପ୍ରକାରର ଓଡ଼ିଆ ମିଠା ଆଉ ସେଥି ଭିତରୁ ବାରି ହୋଇପଡୁଥିବା ରସଗୋଲା । ତେବେ ୫ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ଯାଏଁ ଏହି ରସଗୋଲାର ତିଆରି ପଛରେ କେତେ ଯେ ଶ୍ରମ ଲୁଚି ରହିଥାଏ ତାହା ତାହାକୁ ଦେଖିଥିବା ଲୋକ ଯାହା ଜାଣେ ।
ତିଆରି ପ୍ରଣାଳି:
ଏକ ବିଶାଳ ହାଣ୍ଡିରେ ପାଣିରେ ଚିନି ମିଶାଇ ରାସେଣି/ସିରା ତିଆରି କରାଯାଇଥାଏ । ଛେନାକୁ ଦଳି ସେଥିରୁ ପାଣି ନିଗାଡ଼ି ଅଳ୍ପ ସୁଜି ମିଶାଯାଇଥାଏ ବାନ୍ଧି ରଖିବା ପାଇଁ । ଏହି ସୁଜିର ପରିମାଣ ହିଁ ରସଗୋଲାର ନାଲି-ଧଳା ରଙ୍ଗକୁ ନିୟନ୍ତ୍ରଣ କରିଥାଏ । ଓଡ଼ିଶାର ନାଲି ଛେନାରେ ଛେନା ଅଂଶ ଅଧିକ । ଛେନାରେ ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇ ତାହାକୁ ଦଳି ତାହାକୁ ଛୋଟ ଛୋଟ ଗୁଳା କରି ଫୁଟନ୍ତା ସିରାରେ ଛଡ଼ାଯାଇଥାଏ । ତେବେ ସିରାରେ ଛାଡ଼ିବା ଆଗକୁ ସେଥିରେ ଥିବା ଫେଣକୁ ଜାଲିଚଟୁରେ ବାହାର କରିଦିଆଯାଇଥାଏ । ଛେନାଗୁଳା ଫୁଟି ଫୁଟି ଧୀରେ ଧୀରେ ନାଲି ରଙ୍ଗ ଧାରଣ କରେ । ଆଉ ସେତେବେଳକୁ ସିରା ଟିକେ ବହଳ ବି ହୋଇଯାଇଥାଏ । ତାହାପରେ ତାହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରାଯାଇଥାଏ । ତେବେ ଏହି ରସଗୋଲା ଓଡ଼ିଶାର ସାଧାରଣ ତାପମାତ୍ରାରେ ୭-୮ ଘଣ୍ଟାରୁ ଅଧିକ ରହିପାରେ ନାହିଁ । ଆଉ ଫ୍ରିଜରେ ରଖି ଖାଇଲେ ତାହାର ଖାଣ୍ଟି ସୁଆଦ ଟିକକ ବି ବାରିହୁଏନା ।
ତେବେ ଅପରପକ୍ଷରେ ଧଳା ରସଗୋଲାରେ ସୁଜି ଅଂଶ ଅଧିକ ଥିବା ସଙ୍ଗେ ସଙ୍ଗେ ତାହାକୁ କମ ଫୁଟାଯାଇଥାଏ । ତେଣୁ କେବଳ ଛେନାରେ ତିଆରି ଓଡ଼ିଶାର ରସଗୋଲା ଖୁବ ନରମ ହୋଇଥାଏ ଓ ଭାରି ସୁଆଦିଆ ହୋଇଥାଏ, ଧଳା ରସଗୋଲା ଭିତରେ ଅଧିକ ଫାଙ୍କା ସ୍ଥାନ ଥିବାରୁ ଏକା ଓଜନର ଧଳା ରସଗୋଲା ନାଲି ରସଗୋଲା ଠାରୁ ବଡ଼ ହୋଇଥାଏ ଓ ସ୍ପଞ୍ଜ ପରି ହୋଇଥାଏ, ଏହା ଅଧିକ କାଳ ହେମାଳ ପରିବେଶ ବିନା ରହିପାରେ, ସୁଜିର ଉପସ୍ଥିତି କ୍ଷୀର ଜାତ ଦ୍ରବର ଶିଘ୍ର ନଷ୍ଟ ହେବା ଗୁଣକୁ କିଛି ପରିମାଣକୁ କମାଇଦିଏ ।
ଚେନାଏ ଅବଲୋକନ:
ଅଧିକ କାଳ ସାଇତାଯାଇ ପାରିବା ଗୁଣ ପାଇଁ ନବୀନ ଦାସଙ୍କ ସୁଜିମିଶା ଧଳା ରସଗୋଲା ଚାରିଆଡ଼େ ନାଆଁ କମାଇପାରିଲା । ସେ କାଳରେ ଫ୍ରିଜ ନଥିବା ବେଳେ ଦୂର ଜାଗାକୁ ଏହାକୁ ନିଆଯାଇ ପାରୁଥିଲା, ଆଉ ଓଡ଼ିଶାର ନାଲି ରସଗୋଲା କେବଳ ଓଡ଼ିଶା ଭିତରେ ରହିଗଲା । ବିକଳି କରଙ୍କ ସାଲେପୁର ରସଗୋଲା ଯଦିଓ ଓଡ଼ିଶା ଓ ପାଖ ଆଖ ଜାଗାରେ ଜଣାଶୁଣା, ଏପରିକି ଚାଟ ମାନଙ୍କୁ ତାଲିମ ଦେବା ନିମନ୍ତେ ଏକ କଲେଜ ବି ଖୋଲାଇଲେଣି, କିନ୍ତୁ ତାହା ଓଡ଼ିଶା ବାହାରକୁ ସେତେ ଯାଇପାରିନି । ଆଉ ଏଥିପାଇଁ ଆଗର ସେ ହେମାଳ ବାତାବରଣର ଅଭାବ ନୁହେଁ, ବିକିବା କଳାର ଅଭାବ ସବୁଠୁ ବେଶି ଦାୟୀ । ଓଡ଼ିଆ ରସଗୋଲା ହେଉଛି ରସଗୋଲାର ଆଦି, ଏକଥା ଓଡ଼ିଆମାନେ ହିଁ ନିଜେ ଜାଣନ୍ତି କି ନାଁ ସନ୍ଦେହ, ଆଉ ଓଡ଼ିଆ ବାହାରକୁ ଆସିଲେ ସେମାନେ ଖୋଜି ବସନ୍ତି ବଙ୍ଗାଳି ମିଠାଦୋକାନଟିଏ । ବେଙ୍ଗାଳୁରୁ, ଦିଲ୍ଲୀର ‘ଡାଲମା’, ଦିଲ୍ଲୀର ‘ଓଡ଼ିଶା ଫୁଡ଼ ଷ୍ଟଲ’କୁ ଛାଡ଼ି ଦେଲେ ବେଶି କିଛି ସଂସ୍ଥା ଓଡ଼ିଶା ବାହାରେ ଓଡ଼ିଆ ରାନ୍ଧଣାକୁ ପହଞ୍ଚାଇ ପରିନାହିଁ । ଆଉ ତାହା ସାଙ୍ଗକୁ ଅଧିକାଂଶ ଓଡ଼ିଆଙ୍କ ପରିଚାଳିତ ଓଡ଼ିଆ ଭୋଜନାଳୟ ବାହାରେ ବଡ଼ ବଡ଼ ଆକ୍ଷରରେ ବଙ୍ଗାଳି ଖାଇବା ମିଳେ ସାଙ୍ଗକୁ ଛୋଟ ଛୋଟ ଓଡ଼ିଆ ଖାଇବା ମିଳେ ବୋଲି ଲେଖାଥାଏ, ଦୋକାନ ଭିତରେ ବଙ୍ଗାଳିତେ ପଶିଲେ ଶୁଦ୍ଧ ବଙ୍ଗଳାରେ ଉଷୁମ ସମ୍ଭାଷଣ ମିଳେ । ସେହି ପରିସ୍ଥିତିରେ ଅଣ-ଓଡ଼ିଆଏ କେବେ ବାରି ପାରନ୍ତି ନାହିଁ ଏହା ସତରେ ଓଡ଼ିଆ ନା ବଙ୍ଗାଳି ଭୋଜନାଳୟ, ଆଉ ପରସାଯାଉଥିବା ଖାଦ୍ୟ ସତେ ଯେମିତି ବଙ୍ଗାଳିଙ୍କ ଠୁଁ ଓଡ଼ିଆ ମାନେ ଉଧାରୀ ନେଇଛନ୍ତି । ଆଜି ଗଣମାଧ୍ୟମରେ ଘନ ଘନ ପ୍ରଚାର ପରେ ଜଗତଜଣ ଜାଣନ୍ତି ବଙ୍ଗାଳି ଖନ୍ଦାଶାଳରୁ ରସଗୋଲାର ଜନମ । ଗୁମର କଥା ହେଲା “ଯାହା ଦେଖାଯାଏ, ତାହା ବିକାହୁଏ” । ଆପଣା ମୌଳିକ କୌଳିକ ବେଉସା ଛାଡ଼ି ଅନେକେ ଗୁଡ଼ିଆ ଆଜି ବାକି ଜୀବିକାରେ । ହାତ ଗଣତି କେତେଜଣ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଯେନ ତେନ ପ୍ରକାରେଣ ଓଡ଼ିଶାର ଗୌରବ ନାଲି ରସଗୋଲାକୁ ବଞ୍ଚାଇ ରଖିଛନ୍ତି । ବ୍ୟବସାୟିକ ସଙ୍ଗଠନ କେହି ଏହାକୁ ସାରା ଜଗତରେ ପରିଚିତ କରାଇବା ନିମନ୍ତେ ଅଣ୍ଟା ଭିଡ଼ିନାହାନ୍ତି । ତେଣୁ ଗାଁ କନିଆଁ ସିଙ୍ଘାଣିନାକି ହୋଇ ଏହା ଲୋକଲୋଚନରୁ ଲୁଚି ରହିଛି । ତାହାସାଙ୍ଗକୁ ଆମ ବଡ଼ସାଆନ୍ତଙ୍କ ରୋଷଘରୁ ବାହାରୁଥିବା ଛପନ ଭୋଗ ସାଙ୍ଗକୁ ଅବଢ଼ାକୁ ପୁରୀ ଆସିନଥିବା ଲୋକ କେହି ଚାଖିବାର ସୁଯୋଗ ପାଇନାହିଁ । ଆଉ ଅଣହିନ୍ଦୁଙ୍କୁ ପ୍ରବେଶ ନିଷେଧ ସାଙ୍ଗକୁ ଆହୁରି ଗୁଡ଼ାଏ ଥାନରେ ପଡ଼ିଥିବା କୋଲପକୁ ଭାଙ୍ଗି ଠାକୁରଙ୍କ ରୋଷଶାଳାରେ ତିଆରି ହେଉଥିବା କ୍ଷୀରମୋହନ (ରସଗୋଲା) ସାଙ୍ଗକୁ ଆହୁରି ଅନେକ ଓଡ଼ିଆ ମିଠା ଓ ପିଠାର ଗୋପନ ରନ୍ଧନ ପ୍ରଣାଳୀ (Secret recipe) ଲୋକଲୋଚଣଠାରୁ ବହୁ ଦୂରରେ । ଅତି ଅଧିକ କଟକଣା ଭିତରେ ଆମ ଚଳଣିର ପଣ୍ଡାବାଦର ବେଢ଼ି ଭିତରୁ ରସଗୋଲା ପରି ଆହୁରି ଅନେକ ଯୁଗଯୁଗର ପୁରୁଣା ସୁଆଦିଆ ରାନ୍ଧଣା ଜନମନରୁ ଦୂରେଇଯାଉଛି । ବୈଜ୍ଞାନିକ ପଦ୍ଧତିରେ ନାଁ ଏସବୁକୁ କେହି କେବେ ନଥିକରଣ (Documentation) କରିବା କଥା ଭବିଛନ୍ତି ନାଁ ଫ୍ରେଞ୍ଚ, ଇଟାଲିଆନ ହୋଟେଲରେ ମାତ୍ର କେତେ ବର୍ଷର ଖାଇବା ଖାଇ ବାହା ବାହା କରିବା ବେଳେ ଭାବିଛନ୍ତି ଏମିତି ବିଶାଳ ହାଣ୍ଡିଶାଳରେ ରନ୍ଧା ହୋଇପାରନ୍ତା ଓଡ଼ିଆ ଖାଇବା, ବାତାନୁକୁଳିତ ପରିବେଶରେ ବସି ଧନିକ ମାନେ ଆମ ଖାଇବା ଖାଇ ବାହା ବାହା କରନ୍ତେ, ଦୋସା ଜଏଣ୍ଟ ପରି ଓଡ଼ିଆ ରସଗୋଳା ଜଏଣ୍ଟଟେ ରହନ୍ତା ସହର ଉପକଣ୍ଠରେ । ଖରା ବରଷାର ଦାଉରୁ ଅନବରତ ବଞ୍ଚିବାକୁ ଜୀବନ ସଂଗ୍ରାମ କରୁଥିବା ପାହାଳର ଚେଞ୍ଚେଡ଼ାଲଗା ବିପଣିସବୁ କାଚଲଗା ଟାଇଲଲଗା ବିପଣି ହୁଅନ୍ତା, ଗଲା ଆସିଲା ଲୋକେ ଜାତୀୟ ରାଜପଥରେ ଗାଡ଼ି ଅଟକାଇ ଟିକେ ଚାଖିନିଅନ୍ତେ ଆମ ଠାକୁରଙ୍କ ରୋଷଘରୁ ଜନମିଥିବା ଏହି ସୁଆଦିଆ ଓଡ଼ିଆ ମିଠା !